ପଢନ୍ତୁ ସ୍ନିଗ୍ଧାରାଣୀ ପଣ୍ଡାଙ୍କ ଲିଖିତ ଏକ ହୃଦୟସ୍ପର୍ଶୀ କବିତା "ପ୍ରେମ"

ଜାଣେନା ମୁଁ,
କେମିତି ଏ ଶିହରଣ !
ଉତଫୁଲ୍ଲିତ ହେଇଯାଏ
ମୋର ସ୍ନିଗ୍ଧ , ଶୀତଳ ମନ ।।
ନିସ୍ତବ୍ଧ ମନରେ
ଭରିଦିଏ ପ୍ରାଣ ।
ନିଃସଙ୍ଗ ଜୀବନ
ପୁଣି ହୁଅଇ ସଙ୍ଗୀନ ।।
ହୃଦୟ ମୋ
ଘୁରିବୁଲେ ନିକାଞ୍ଚନ ଦେଶେ ।
ସ୍ବପ୍ନର ପଥିକ ସାଜି
ମନେ ମନେ ହସେ ଯେ ।।
ପ୍ରେମ ଏକ କଇଁଫୁଲ
ଜହ୍ନ ଯେ ତୃଷାର୍ତ୍ତ ।
କମଳ ହୋଇଲେ ପ୍ରେମ
ସୂର୍ଯ୍ୟ ଯେ ପଥିକ ।।
ପ୍ରେମ ପୁଣି ସଞ୍ଜିବନୀ
ମୃତ ଦିଗବଳୟେ ।
ପାଣି ସିଞ୍ଚି ସିଞ୍ଚି ଯିଏ
ତୃଷାର୍ତ୍ତେ ଖେଳାଏ ।।
ଜାଣେନା ମୁଁ
ପ୍ରେମ ମାନେ ହସ ଅବା ଲୁହ !
ତା' କଥା ଭାବୁ ଭାବୁ
ଆସିଯାଏ କୋହ ।।
ପ୍ରେମ ଏକ ମଧୁବନ
ଗୋଲାପ ପସରା ।
ପ୍ରେମ ପୁଣି କାହା ପାଇଁ
ଲୁହର ଆସରା ।।
ଅଚିହ୍ନା ବାଟର
ଚିହ୍ନା ବାଟୋଇ ଏ ପ୍ରେମ !
ପ୍ରେମ ପାଇଁ
ସୁନ୍ଦର ଏଇ ଧରାଧାମ ।।
ଦୂର ଦିଗବଳୟେ
ସେଇ ପାହାଡ଼ ଫାଙ୍କରେ ।
ସୂର୍ଯ୍ୟ ଯେବେ ଉଇଁଆସେ
ରକ୍ତିମ ଆଭାରେ ।।
ମନେ ମୋର
ପ୍ରସ୍ଫୁଟିତ ହୋଇଯାଏ ପ୍ରେମ ।
ପ୍ରେମ ସଦା ଚିରନ୍ତନ
କରେ ଆଲିଙ୍ଗନ ।।
ସ୍ନିଗ୍ଧାରାଣୀ ପଣ୍ଡା
ନରସିଂହପୁର, କଟକ, ଓଡ଼ିଶା